ଏ କେମିତିକା ନ୍ୟାୟ…ପୁଅ କଲା ଭୁଲ୍ ବାପାଙ୍କୁ ମିଳିଲା ଶାସ୍ତି, ଶବକୁ ଅଛୁଆଁ କହି କାନ୍ଧ ଦେଲେନି ଗାଁଲୋକେ, ଶଶ୍ମାନକୁ ନେବାପାଇଁ ମିଳିଲାନି ଅନୁମତି Kanak News

କନକ ବ୍ୟୁରୋ: ପୁଅର ଦୋଷ ପାଇଁ ବାପାଙ୍କ ଶବକୁ କାନ୍ଧ ମିଳିଲାନି। ସତ୍କାର ପାଇଁ ଶ୍ମଶାନକୁ ନେବାକୁ ବି ଅନୁମତି ମିଳିଲାନି। ପାଞ୍ଚ ଘଣ୍ଟା ଧରି ଶବ ପଡ଼ି ରହିଲା। ନିଜ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ବଜନଙ୍କ ଆଗେଇ ଆସିଲା ପରେ ଶବ ଉଠିଲା ଏବଂ ସତ୍କାର କରାଗଲା। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗ୍ରାମରେ ଏହି ଘଟଣା ଘଟିଛି।
ଏହି ଗ୍ରାମର ଭୂପତି ଜେନା ଗତ କିଛିଦିନ ଧରି ହୃଦରୋଗରେ ପୀଡ଼ିତ ଥିଲେ। ଗତକାଲି ସକାଳେ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ଲୋକେ ତାଙ୍କୁ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୯ଟା ୨୫ ମିନିଟ୍ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଭୂପତିଙ୍କ ଶବକୁ ଗାଁକୁ ଆଣିଥିଲେ। ତେବେ ଶବ ସତ୍କାର ପାଇଁ ସତ୍କାର କରିବାକୁ ଯିବେନି କିମ୍ବା ଗାଁ ଶ୍ମଶାନରେ ପୋଡ଼ିବାକୁ ଦିଆଯିବନି ବୋଲି ଗାଁ ଲୋକ ମନା କରିଦେଇଥିଲେ। ଶେଷରେ ନିରାଶ ହୋଇ ପରିବାର ଲୋକେ ଥାନାରେ ଦ୍ବାରସ୍ଥ ହୋଇଥିଲେ। ତେବେ ଥାନା ତରଫରୁ ଶବ ଶଶ୍ମାନରେ ପୋଡ଼ିବା ପାଇଁ କୁହାଯାଇଥିଲେ ମଧ୍ୟ ସୁରକ୍ଷା ଦିଆଯିବା ନେଇ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଫଳରେ ଦୀର୍ଘ ପାଞ୍ଚଘଣ୍ଟା ଧରି ଶବ ପିଣ୍ଡାରେ ପଡ଼ି ରହିଥିଲା। ଶେଷରେ ପରିବାର ଲୋକେ ନିଜ ବନ୍ଧୁବାନ୍ଧବ ଓ ଆତ୍ମିୟସ୍ବଜନଙ୍କ ସହାୟତାରେ ୧୫ କିମି ଦୂର ରାଜଘାଟସ୍ଥିତ ସୁବର୍ଣ୍ଣରେଖା ନଦୀପଠାକୁ ନେଇ ଅପରାହ୍ନ ୪ଟା ୩୦ରେ ଶବ ସତ୍କାର କରିଥିଲେ।
ଗତ ମାର୍ଚ୍ଚ ମାସରେ କୌଣସି ଏକ ଗଣ୍ଡଗୋଳରୁ ଗିରିଜା ଶଙ୍କରଙ୍କୁ ଆମ୍ବଳିଅଠା ଗାଁ ବୈଠକକୁ ଡକାଯାଇଥିଲା। ତେବେ ଏହି ବୈଠକରେ କେତେକ ଗ୍ରାମବାସୀ ଗିରିଜା ଶଙ୍କରଙ୍କୁ ମାଡ଼ ମାରିଥିବା ନେଇ ତାଙ୍କ ପତ୍ନୀ ରଶ୍ମିରେଖା ଜଳେଶ୍ବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏନେଇ ୬୯/୧୯ ନମ୍ବରର ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଥାନାରୁ ମାମଲା ପ୍ରତ୍ୟାହାର ସହ ଜରିମାନା ଦେବାପାଇଁ ଗିରିଜା ଶଙ୍କରଙ୍କ ଉପରେ ଚାପ ପକାଯାଉଥିବା ବେଳେ ସେହି ରାଗ ରଖି ତାଙ୍କ ବାପାଙ୍କ ଶବକୁ ଗ୍ରାମବାସୀ ଅଛୁଆଁ ରଖିଲେ ବୋଲି ଗିରିଜା ଶଙ୍କର ଅଭିଯୋଗ କରିଛନ୍ତି।
from Kanak News https://ift.tt/2YLkPlh https://ift.tt/2GMGt2s
No comments: