ନୀତି ଆୟୋଗ ମାପିଲା ବାବୁଙ୍କ ଦକ୍ଷତା: ପ୍ରଥମ ୧୦ରେ ଓଡିଶାର ୪ଟି ଜିଲ୍ଲା; ୨ ନମ୍ବରରେ ବଲାଙ୍ଗୀର, ମୌଳିକ ଭିତ୍ତିଭୂମିରେ ଏକ ନମ୍ବର Kanak News
କନକ ବ୍ୟୁରୋ: ଦେଶର ପଛୁଆ ଜିଲ୍ଲା ବା ଆକାଂକ୍ଷା ଜିଲ୍ଲା ଗୁଡିକର ତାଲିକା ପ୍ରକାଶ କରିଛି ନୀତି ଆୟୋଗ । ଏହି ତାଲିକାରେ ପ୍ରଥମ ୧୦ ଜିଲ୍ଲାରୁ ଓଡିଶାର ରହିଛି ୪ଟି ଜିଲ୍ଲା । ଏହା ପ୍ରମାଣ କରୁଛି ପଛୁଆ ଜିଲ୍ଲା ଗୁଡିକରେ ବାବୁମାନଙ୍କ ପ୍ରଦର୍ଶନ କେବେ କେମିତି ରହିଛି । ୫ଟି ମାନଦଣ୍ଡ ନେଇ ନୀତି ଆୟୋଗ ଗତ ଜୁନ୍ ଜୁଲାଇ ମାସ ପାଇଁ ଯେଉଁ ଡ୍ୟାସ ବୋର୍ଡ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ତାହା ସୂଚାଇ ଦେଉଛି ଏହି ବିକାଶ ହାରକୁ । ତେବେ ଆକାଂକ୍ଷା ଜିଲ୍ଲା ଗୁଡିକରେ ସବୁଠାରୁ ଭଲ ପ୍ରଦର୍ଶନ କରିଛି ଓଡିଶାର ବଲାଙ୍ଗୀର ଜିଲ୍ଲା ।
ମୌଳିକ ଭିତ୍ତିଭୂମି ମାନଦଣ୍ଡରେ ଏହି ଜିଲ୍ଲା ସାରା ଦେଶରେ ଏକ ନମ୍ବର ସ୍ଥାନ ଦଖଲ କରିଛି । ଦେଶର ମୋଟ୍ ୧୧୫ ଜିଲ୍ଲା ମଧ୍ୟରୁ ସାମଗ୍ରିକ ଭାବେ ତାଲିକାରେ ବଲାଙ୍ଗିର ଜିଲ୍ଲା ୨ ନମ୍ବର ସ୍ଥାନରେ ରହିଛି । ବଲାଙ୍ଗିରକୁ ଛାଡିଦେଲେ ଓଡିଶାର ଗଜପତି ଜିଲ୍ଲା ପଂଚମ ସ୍ଥାନରେ, ନବମ ସ୍ଥାନରେ କନ୍ଧମାଳ ଓ ରାୟଗଡା ରହିଛି ଦଶମ ସ୍ଥାନରେ । ସମସ୍ତ ମାନଦଣ୍ଡ ମଧ୍ୟରେ ବଲାଙ୍ଗିର ଜିଲ୍ଲା କୃଷି ଓ ଜଳସେଚନ କ୍ଷେତ୍ରରେ ପଛୁଆ ରହିଛି । ଏହି ତାଲିକାରେ ବଲାଙ୍ଗିର ଜିଲ୍ଲା ୧୦୪ ତମ ସ୍ଥାନରେ ରହିଛି । ସ୍ୱାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ କୌଶଳ ବିକାଶ ଏବଂ ମୌଳିକ ଭିତ୍ତିଭୂମି ପରି ୫ଟି ମାନଦଣ୍ଡକୁ ନେଇ ଆକାଂକ୍ଷା ଜିଲ୍ଲାର ତାଲିକା ପ୍ରସ୍ତୁତ ହୋଇଛି ।
from Kanak News https://ift.tt/2Zo0NO4 https://ift.tt/2HpLrm6
No comments: