ରାଜ୍ୟର ୬ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ : ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ Kanak News

କନକ ବ୍ୟୁରୋ : ରାଜ୍ୟର ୬ଟି ସହରରେ ବାୟୁ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ରହିଛି । ଏହି ତାଲିକାରେ ରାଜଧାନୀ ସମେତ କଟକ, ଅନୁଗୁଳ, ତାଳଚେର, ବାଲେଶ୍ବର ଓ ରାଉରକେଲା ରହିଛି । ତାଲିକାର ଶୀର୍ଷରେ ଅନୁଗୁଳ ରହିଥିବା ବ‌େଳେ ଭୁବନେଶ୍ବର ୩ ନମ୍ବର ସ୍ଥାନରେ ରହିଛି । ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି ।

ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସ୍‌ଇ) ରିପୋର୍ଟ ମୁତାବକ, ରାଜ୍ୟରେ ଲକ୍ଷେ ଲୋକରେ ୬୫ ଜଣ ବାୟୁ ପ୍ରଦୂଷଣରେ ମୃତ୍ୟୁ ବରଣ କରୁଥିବା ବେଳେ ଏହି ପରିସଂଖ୍ୟାନ ଦିଲ୍ଲୀ ସହ ସମାନ ରହିଛି । ୨୦୧୮ ମସିହାରେ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୩୧ ହଜାର ୧୧୮ ରହିଛି। ଏହା କ୍ରମାଗତ ଭାବରେ ବଢ଼ି ବଢ଼ି ଚାଲିଛି । ଘରୋଇ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ ପ୍ରଦୂଷିତ ବାୟୁ ଜନିତ ମୃତ୍ୟୁ ସଂଖ୍ୟା ଠାରୁ ଅଧିକ ରହିଛି । ବାୟୁ ପ୍ରଦୂଷଣ ଜନିତ ହେଉଥିବା ହୃଦ୍‌ରୋଗ ଓ ନିଃଶ୍ବାସ ପ୍ରଶ୍ବାସ ନଳୀ ସଂକ୍ରମଣ ଆୟୂଷ କମାଇ ଦେଉଛି । ବିଭିନ୍ନ ଅକାଳ ମୃତ୍ୟୁ ପଛରେ ରହିଥିବା କାରଣ ତାଲିକାରେ ଓଡ଼ିଶାରେ ବାୟୁ ପ୍ରଦୂଷଣ ଦ୍ବିତୀୟ ନମ୍ବରରେ ରହିଛି ।

ଏଭଳି ଏକ ଉଦ୍‌ବେଗଜନକ ସର୍ବେ‌କ୍ଷଣ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ କମାଇବା ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସହ ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସ୍‌ଇ) ଏକାଠି ହୋଇ ଏହି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି । ଜାତୀୟ ବାୟୁ ଗୁଣବତ୍ତା ମାନଦଣ୍ଡକୁ ଭରଣା କରିବା ପାଇଁ ପ୍ରଦୂଷଣ ମାତ୍ରା ଅନୁଗୁଳରେ ୩୯ ପ୍ରତିଶତ, ବାଲେଶ୍ବରରେ ୨୮ ପ୍ରତିଶତ, ଭୁବନେଶ୍ବରରେ ୩୬ ପ୍ରତିଶତ, କଟକରେ ୨୭ ପ୍ରତିଶତ, ରାଉରକେଲାରେ ୪୧ ପ୍ରତିଶତ ଓ ତାଳଚେରରେ ୪୫ ପ୍ରତିଶତ କମାଇବା ଜରୁରୀ ହୋଇପଡ଼ିଛି ।

ହୋଟେଲ କ୍ରାଉନ୍‌ ପରିସରରେ ଆୟୋଜିତ ଏକ କର୍ମଶାଳାରେ ଏହି ଆକ୍ସନ ପ୍ଲାନ୍‌ ଉପରେ ତର୍ଜମା କରାଯାଇଛି । କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉଦ୍‌ଘାଟନ କରି କହିଛନ୍ତି, ବାୟୁ ପ୍ରଦୂଷଣର ଭୟାବହତାକୁ ନେଇ ସମସ୍ତେ ଅବଗତ ଅଛନ୍ତି । ଏହାକୁ ନେଇ ପୂର୍ବରୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଏହି ପ୍ଲାନ୍‌ ଭିତରେ ଶିଳ୍ପମାନଙ୍କର ଦୂଷିତ ବାୟୁ ନିର୍ଗମନ ବ୍ୟବସ୍ଥାରେ ଉନ୍ନତି, ଅଧିକ ପ୍ରଦୂଷଣ କରୁଥିବା ଶିଳ୍ପର ସ୍ଥାନାନ୍ତରଣ, ସମ୍ପ୍ରସାରିତ ସାଧାରଣ ପରିବହନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପ୍ରଭୃତି ରହିଛି । ତେବେ ଏବେ ପ୍ରବର୍ତ୍ତନ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି ।
ଯିଏ ପ୍ରଦୂଷଣ କରୁଛି ସେ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ, ଯିଏ ଲଂଘନ କରୁଛି ସିଏ ଦଣ୍ଡିତ ହେବା ଜରୁରୀ ହୋଇଛି ବୋଲି କହିଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ଦୁଇମାସ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସହ ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସ୍‌ଇ) ଏହି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି । ଏହି ପ୍ଲାନ୍‌କୁ ଆଲୋଚନା କରିବା ପାଇଁ ଏହା ପ୍ରଥମ କର୍ମଶାଳା ।
ଏହାର ପ୍ରୟୋଗ ପାଇଁ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଏହି ଆକ୍ସନ ପ୍ଲାନ୍‌ ପ୍ରଦାନ କରାଯିବ ବୋଲି କହିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସଦସ୍ୟ ଦେବୀଦତ୍ତ ବିଶ୍ବାଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଅତୁଲ ବାଗାଇ, ଗୃହ ଓ ନଗର ଉନ୍ନୟନ ସଚିବ ଜି. ମାଥିଭାତନାନ୍‌, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସ୍ବତନ୍ତ୍ର ସଚିବ ଡ. କେ ମୁର୍ଗେସାନ୍‌, ସିଏସ୍‌ଇ ନିର୍ବାହୀ ନିର୍ଦ୍ଦେଶିକା ଅନୁମିତା ରାୟ ଚୌଧୁରୀ, ମୁଖ୍ୟ ପରିବେଶ ଇଞ୍ଜିନିୟର ଏନ୍‌.ଆର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ୬ଟି ଅଧିବେଶନରେ ହୋଇଥିବା ଏହି କର୍ମଶାଳାରେ ଏନ୍‌ଜିଓଙ୍କ ସହ ଶିଳ୍ପପତି, ଖଣି ନିଗମ ଅଧିକାରୀ ଓ ପରିବେଶ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ ।


from Kanak News http://bit.ly/2JWrS7G http://bit.ly/318jxmF
ରାଜ୍ୟର ୬ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ : ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ Kanak News ରାଜ୍ୟର ୬ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ : ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ Kanak News Reviewed by SUBHENDU BARAL on June 04, 2019 Rating: 5

No comments:

Powered by Blogger.