
କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଅଣ ଓସାରିଆ ପୋଲ। ମାସରେ ଅଧା ଦିନ ଯାତାୟାତ ସମସ୍ୟା ସହ ବିପର୍ଯ୍ୟସ୍ତ ହୋଇ ପଡୁଛି ଟ୍ରାଫିକ ବ୍ୟବସ୍ଥା। ଜରୁରୀ କାଳୀନ ସେବାଠୁ ଆରମ୍ଭ କରି ଯାତାୟାତ କ୍ଷେତ୍ରରେ ଲୋକ ଭୋଗୁଛନ୍ତି ନାହଁ ନଥିବା ଯନ୍ତ୍ରଣା। ଆଉ ସବୁ ଜାଣି ଚୁପ ବସିଛି ପ୍ରଶାସନ। ନୂତନ ପୋଲ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଟେଣ୍ଡର ଡାକିବା ସହ ନିର୍ମାଣ କାମ ଆରମ୍ଭ କରିଛି। କିନ୍ତୁ ନୂତନ ପୋଲ ନିର୍ମାଣ ଶେଷ ହେବାକୁ ଆହୁରି ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିବାକୁ ଥିବାରୁ ଯାତାୟାତ ନେଇ ଚିନ୍ତାରେ ପଡିଛନ୍ତି ପଥଚାରୀ। ଅନ୍ୟପକ୍ଷରେ ଶହ ଶହ ସଂଖ୍ୟାରେ ଦୈନିକ ଆନ୍ଧ୍ରରୁ ଓଡ଼ିଶାକୁ ଆସୁଥିବା ମାଲବାହୀ ଟ୍ରକ ଯୋଗୁ ଟ୍ରାଫିକ ସମସ୍ୟା ଦ୍ବି ଗୁଣିତ ହେବାରେ ଲାଗିଛି।
୩୨୬ ନଂ ଜାତୀୟ ରାଜପଥର ମା’ ମଝି ଘରିଆଣୀ ମନ୍ଦିର ନିକଟରେ ଆନ୍ଧ୍ର-ଓଡ଼ିଶାକୁ ସଂଯୋଗ କରୁଛି ଏହି ପୋଲ। ବ୍ରିଟିଶ ଅମଳର ଏହି ପୋଲ ଦୀର୍ଘ ବର୍ଷ ଧରି ଦୁଇ ରାଜ୍ୟବାସୀଙ୍କ ପାଇଁ ଲାଇଫ ଲାଇନ ପାଲଟିଛି। କିନ୍ତୁ ଯାନବାହନ ଚଳାଚଳ ବଢିବା ପରେ ଏହି ପୋଲ ଦେଇ ଯାତାୟାତ ସ୍ୱାଭାବିକ ହୋଇ ପାରୁନି। ଫଳରେ ଶିଳ୍ପନୁଷ୍ଠାନ ସମେତ ଜନ ସାଧାରଣ, ମେଡିକାଲ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାମରେ ପ୍ରତିଦିନ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗତ ୬ ତାରିଖରେ ଏକ ଟ୍ରକ ଦୁର୍ଘଟଣା ଯୋଗୁ ୧୮ ଘଣ୍ଟା ଧରି ଏହି ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା। ଅଣ ଓସାରିଆ ପୋଲ ସାଙ୍ଗକୁ ଏହି ରାଜପଥର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଥିବାରୁ ଯାତାୟାତ ସୁଗମ ହୋଇ ପାରୁନି।ରାୟଗଡା ସହରରୁ ଆନ୍ଧ୍ର ସୀମାନ୍ତ ପର୍ଯ୍ୟନ୍ତ ୨୫କିଲୋମିଟର ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇ ପଡ଼ିଛି। ରାସ୍ତା ନିର୍ମାଣ ପାଇଁ ରାୟଗଡା ପୂର୍ତ୍ତ ବିଭାଗ ଟେଣ୍ଡର ଡାକିଥିଲେ ମଧ୍ୟ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନି। ମରାମତି ଅଭାବରୁ ଦିନକୁ ଦିନ ରାସ୍ତାର ଅବସ୍ଥା କଦର୍ଯ୍ୟ ହେବାରେ ଲାଗିଛି। ଭାରୀଯାନ, ଯାତ୍ରୀବାହୀ ଯାନ ତ’ ଦୂରର କଥା ବାଇକ ଚଳାଚଳ ପାଇଁ ବି ଏହି ରାସ୍ତା ଉପଯୁକ୍ତ ନାହିଁ ବୋଲି ଯାତ୍ରୀ ଅଭିଯୋଗ କରିଛନ୍ତି। ପ୍ରତିଦିନ ମେଡିକାଲ କାମରେ ଯାଉଥିବା ଆମ୍ବୁଲାନ୍ସ ରାସ୍ତା ଅବସ୍ଥା ପାଇଁ ବିଳମ୍ବରେ ପହଞ୍ଚୁଛି।
ସେହିପରି କ୍ଷୀର ସମେତ ଖବର କାଗଜ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟ ରାସ୍ତା ଅବସ୍ଥା ପାଇଁ ବାଧାପ୍ରାପ୍ତ ହଉଛି। ବିଶେଷ କରି ଗତ ୨/୩ ବର୍ଷ ଧରି ଯାତାୟାତ ସମସ୍ୟା ବଢି ଚାଲିଥିଲେ ମଧ୍ୟ କେହି ଏଥି ପ୍ରତି ଗୁରୁତ୍ୱ ନାହଁନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ମୋହନ ମିଶ୍ର କହିଛନ୍ତି ଯେ, ପୋଲ କାମ ପାଇଁ ୧୫କୋଟି ଟଙ୍କା ମଞ୍ଜୁରୀ ହୋଇଛି। ୨୫କିଲୋମିଟର ରାସ୍ତା ପାଇଁ ଟେଣ୍ଡର ପୂର୍ବରୁ ଡକାଯାଇଥିଲା। ତେବେ କେହି ଟେଣ୍ଡର ପକାଇ ନଥିବାରୁ ସାନି ଟେଣ୍ଡର ହେବ ବୋଲି କହିଛନ୍ତି।
from Kanak News http://bit.ly/2XaAyh2 http://bit.ly/2RevBOR
ରାସ୍ତା ଲୋକଙ୍କୁ କରୁଛି ହିନସ୍ତା ! ବାଧାପ୍ରାପ୍ତ ହେଉଛି ପରିବହନ ସେବା Kanak News
Reviewed by SUBHENDU BARAL
on
June 13, 2019
Rating:
No comments: