ଜଗତସିଂହପୁର ୭|୫: ମହାବାତ୍ୟାର ଚିହ୍ନ ଦୁଇ ଦଶନ୍ଧି ପରେ ବି ରହିଛି । ଆଉ ତାହାକୁ ଏବେ ପୁଣି ଉଖାରି ଦେଇଛି ବାତ୍ୟା ଫୋନି । ପୁଣିଥରେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ଜଗତସିଂହପୁର ଜିଲ୍ଲା । ମହାବାତ୍ୟା ପରେ ଯେଉଁ କିଛି ଗଛ ମୁଣ୍ଡଟେକି ଛିଡ଼ା ହୋଇଥିଲା, ଏଥର ସେସବୁକୁ ଉପାଡ଼ି ଦେଇଛି ଫୋନି । ଜିଲ୍ଲାରେ ୩ ହଜାରରୁ ଅଧିକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଥିବାରୁ ବିଜୁଳି ଓ ପିଇବା ପାଣି ସମସ୍ୟାରେ ଲୋକେ ଆଉଟ ପାଉଟ ହେଉଛନ୍ତି । ପ୍ରଶାସନର ଥଇଥାନ ଓ ରିଲିଫ୍ କାର୍ଯ୍ୟ ମନ୍ଥର ଅଭିଯୋଗକରି ବିରିଡ଼ି ଏବଂ ରଘୁନାଥପୁରରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ।
ମହାବାତ୍ୟା ଭଳି ଭୟଙ୍କର ନୁହେଁ , କିନ୍ତୁ ଫୋନିର କ୍ଷତି କମ୍ ନୁହେଁ । ବାତ୍ୟା ଫୋନିରେ ଜଗତସିଂହପୁର ଜିଲ୍ଲା ବ୍ୟାପକ ପ୍ରଭାବିତ ହୋଇଛି ।ବାଲିକୁଦା, ନାଉଗାଁ, ବିରିଡ଼ି , ରଘୁନାଥପୁର ବ୍ଲକ୍ ସମେତ ଜଗତସିଂହପୁର ସହରରେ ବି ପ୍ରଳୟ କରିଛି ଫୋନି । କୁଜଙ୍ଗ ଓ ପାରାଦ୍ବୀପରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ପାନୀୟ ଜଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ । ଜିଲ୍ଲାର ଅନେକ ଅଞ୍ଚଳ ଅନ୍ଧାର । ୩ ହଜାରରୁ ଅଧିକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଥିବା ବେଳେ ମହାବାତ୍ୟା ପରେ ମୁଣ୍ଡଟେକିଥିବା ଗଛଗୁଡ଼ିକ ଧରାଶାୟୀ । ପିଇବା ପାଣି ପାଇଁ ଲୋକେ ଆଉଟପାଉଟ ହେଉଛନ୍ତି । ମୋବାଇଲ ଓ ଇଣ୍ଟରନେଟ୍ ସେବା ଠପ୍ ହୋଇଯାଇଥିବାରୁ ଯୋଗାଯୋଗ ବାଧାପ୍ରାପ୍ତ ।
ଫୋନି ଯିବାର ୪ ଦିନ ପରେ ମଧ୍ୟ ଏବେ ବି ରାସ୍ତାରେ ପଡ଼ିଛି ଶହ ଶହ ଗଛ । ଯାତାୟତରେ ସମସ୍ୟା, ଲୋକେ ବି ଅନେକ ସ୍ଥାନରେ ବାହାରକୁ ବାହାରି ପାରୁନାହାଁନ୍ତି । ପ୍ରାୟ ୧୦ ହଜାରରୁ ଅଧିକ ଚାଳଘର ମାଟିରେ ମିଶିଯିବା ସହ ଅନେକ ଛପର ଉଡ଼ିଯାଇଛି ।ଶତାଧିକ ଘର ଉପରେ ଗଛ ପଡିଛି । ପ୍ରାୟ ୧୦ ହଜାରରୁ ଅଧିକ ବାତ୍ୟା ବିପନ୍ନ ଏବେ ବି ବାତ୍ୟା ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଛନ୍ତି । ପ୍ରଶାସନ ପକ୍ଷରୁ ବିଦ୍ୟୁତ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । କେତେକ ସ୍ଥାନକୁ ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଣ ବି ଆରମ୍ଭ ହୋଇଛି । ତଥାପି ସମସ୍ତଙ୍କ ପାଖରେ ପାଣି ପହଞ୍ଚିପାରୁନାହିଁ । ପଲିଥିନ୍ ମିଳି ପାରିନଥିବା ବେଳେ ପଶୁ ଖାଦ୍ୟ ନମିଳିବାରୁ ଗୋରୁଗାଈ ଭୋକରେ ଆଉଟପାଉଟ ହେଉଛନ୍ତି । ଥଇଥାନ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଅଭିଯୋଗକରି ବିରିଡ଼ି ଓ ରଘୁନାଥପୁର ଅଞ୍ଚଳର ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ବାତ୍ୟାପୂର୍ବରୁ ୯୦ ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ସହ ପ୍ରାୟ ୭୪ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ପ୍ରଶାସନ ସୂଚନା ଦେଇଛି । ପୁନରୁଦ୍ଧାର ଓ ଥଇଥାନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ବୈଠକ କରାଯିବା ସହ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
from News7 http://bit.ly/2PNcTNi
No comments: