ଏସ୍‌ସିବି ପରିସରରୁ ଦୁଇ ଅସହାୟ ରୋଗୀ ଉଦ୍ଧାର: ଆଉ କେତେ, କେଉଁଠି ପଡ଼ିଛନ୍ତି ?

scb

କଟକ(ଓଡ଼ିଶା ରିପୋର୍ଟର): ‘ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ’। ଏହି ନୀତିରେ ଚାଲିଛି କଟକ ବଡ଼ ମେଡିକାଲ। ସତେ ଯେମିତି ଲାଗୁଛି ବିଭାଗୀୟ କର୍ତ୍ତୃପକ୍ଷ ଏସ୍‌ସିବିକୁ ଅବ୍ୟସ୍ଥା ମଧ୍ୟରେ ଚଲାଇବାକୁ ଅଧିକ ପସନ୍ଦ କରୁଛନ୍ତି। କାରଣ ଏଠାରେ ଘଣ୍ଟା ଘଣ୍ଟା ଧରି ମୃତଦେହ ପଡ଼ି ରହୁଛି। କେବଳ ମୃତଦେହ ନୁହେଁ, ଅସହାୟ ରୋଗୀ ଏଣେ ତେଣେ ପଡ଼ି ରହୁଥିଲେ ମଧ୍ୟ ସେମାନଙ୍କୁ ଉଠାଇ ଚିକିତ୍ସା ପାଇଁ ନେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦୀର୍ଘ ସମୟ ଲାଗିଯାଉଛି। ଏମିତିକି ଦୀର୍ଘଦିନ ଧରି ଏମିତି ରୋଗୀ ପଡ଼ି ରହୁଥିଲେ ମଧ୍ୟ ଏହାର ସୂଚନା ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ପାଉନାହାନ୍ତି।

ରବିବାର ଓ ସୋମବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ ଅସହାୟ ଅବସ୍ଥାରେ ଡାକ୍ତରଖାନା ପରିସରରେ ପଡ଼ି ରହିବା ଦେଖିବାକୁ ମିଳିଥିଲା। ତଫାତ ଏତିକି ଥିଲା, ପ୍ରଥମ ଘଟଣାରେ ବ୍ୟକ୍ତି ଜଣଙ୍କ ଚିକିତ୍ସା ଅଭାବରୁ ମରି ଯାଇଥିଲେ ଓ ଦ୍ୱିତୀୟ ଘଟଣାରେ ବ୍ୟକ୍ତିଙ୍କ ଶରୀରରେ ଏବେ ବି ଜୀବନ ରହିଛି।

ସୋମବାର ରାତିରୁ ବ୍ୟକ୍ତି ଜଣଙ୍କ ସେଠାରେ ପଡ଼ି ରହିଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ନେବାକୁ ଆଗଭର ହୋଇ ନଥିଲେ। ବ୍ୟକ୍ତି ଜଣଙ୍କ ଚିକିତ୍ସା ନପାଇ ଆଜି ଦିନ ପ୍ରାୟ ସାଢେ ୧୧ଟା ପର୍ଯ୍ୟନ୍ତ ପଡ଼ି ରହିଥିଲେ। ଶେଷରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା ଓ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆଯାଇଛି।

ବ୍ୟକ୍ତି ଜଣଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଆଉ ଜଣେ ଅସହାୟ ରୋଗୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣଙ୍କ ପୁରୁଣା ମେଡିସିନ୍‌ ୱାର୍ଡ ପାଖରେ ପଡ଼ିଥିଲେ। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ନିଆଯାଇଛି। ତେବେ ସେଠାରେ ଉପସ୍ଥିତ କିଛି ଲୋକ, ବ୍ୟକ୍ତି ଜଣଙ୍କ ତିନିଦିନ ହେବ ସେଠାରେ ପଡ଼ିଥିଲେ ବୋଲି କହିଛନ୍ତି। ଯଦି ଏହା ସତ ହୋଇଥାଏ, ମେଡିକାଲ କର୍ତ୍ତୃପକ୍ଷ ଓ ସ୍ୱେଚ୍ଛାସେବୀମାନେ ମେଡିକାଲ ପରିସରରେ ରହି କ’ଣ କରୁଛନ୍ତି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

ରବିବାର ସକାଳେ ମେଡିକାଲ ପରିସରରେ ଜଣେ ବ୍ୟକ୍ତିଙ୍କ ଶବ ବଡ଼ ମେଡିକାଲର ମେଡିସିନ୍ ଓ୍ୱାର୍ଡର ମାତ୍ର ୧୦ ହାତ ଦୂରରେ ପଡ଼ିଥିଲା। ମୃତଦେହରେ ମାଛି ସାଲୁବାଲୁ ହେଉଥିଲେ ବି ମେଡାକାଲ କର୍ତ୍ତୃପକ୍ଷ କି କୌଣସି ସ୍ୱେଚ୍ଛାସେବୀ ଏହାକୁ ଉଠାଇବାକୁ ଆସି ନଥିଲେ। ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ମେଡିକାଲ କର୍ତ୍ତୃପକ୍ଷ ମୃତଦେହ ଉଠାଇବା ବ୍ୟବସ୍ଥା କରିଥିଲେ।

ଏହାପରେ ନିଷ୍ପତ୍ତି ହୋଇଥିଲା ଅଜଣା ରୋଗୀଙ୍କ ପାଇଁ ୫ଟି ସ୍ୱତନ୍ତ୍ର ‌ୱାର୍ଡ ଖୋଲାଯିବ। ସପ୍ତାହେ ମଧ୍ୟରେ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ଆଶା କରାଯାଉଥିଲା, ଏସସିବି ପରିସରରେ ଆଉ କୌଣସି ରୋଗୀ ଅସହାୟ ଅବସ୍ଥାରେ ପଡ଼ି ରହିବେ ନାହିଁ।

ତେବେ ସୋମବାର ରାତିରୁ ମେଡିସିନ୍ ୱାର୍ଡ ପାଖରେ ଥିବା ଏଟିଏମ୍ ବାରଣ୍ଡା ଓ ପୁରୁଣା ମେଡିସିନ୍ ୱାର୍ଡ ଆଗରେ ରୋଗୀ ପଡ଼ି ରହିଥିଲେ ବି କେହି ତାଙ୍କୁ ନଜର ଦେଇ ନଥିଲେ। ଏଥିରୁ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବା ନିଷ୍ପତ୍ତି କେବେ କାର୍ଯ୍ୟକାରୀ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏସ୍‌ସିବି ପରିସରରେ ଅସହାୟ ଭାବେ ମୃତଦେହ ଓ ରୋଗୀ ପଡ଼ି ରହିବା ଘଟଣା ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। ଏପରି ସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି, ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନକୁ ଆସୁଥିବା ଆଉ କେତେ ଅସହାୟ ରୋଗୀ ଏମିତି ପଡ଼ି ରହିଛନ୍ତି ? ସେମାନଙ୍କ ସଂଖ୍ୟା କେତେ ? କେତେ ଦିନ ହେବ ସେମାନେ ପଡ଼ି ରହିଛନ୍ତି ? ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ଏହାର କିଛି ସୂଚନା ଅଛି କି ? ମେଡିକାଲ ପରିସରରେ ଘୁରି ବୁଲୁଥିବା ସ୍ୱେଚ୍ଛାସେବୀଙ୍କ ନଜର କ’ଣ ଏହି ଅସହାୟଙ୍କ ଉପରେ ପଡ଼ୁନାହିଁ ?



from Odisha Reporter
ଏସ୍‌ସିବି ପରିସରରୁ ଦୁଇ ଅସହାୟ ରୋଗୀ ଉଦ୍ଧାର: ଆଉ କେତେ, କେଉଁଠି ପଡ଼ିଛନ୍ତି ? ଏସ୍‌ସିବି ପରିସରରୁ ଦୁଇ ଅସହାୟ ରୋଗୀ ଉଦ୍ଧାର: ଆଉ କେତେ, କେଉଁଠି ପଡ଼ିଛନ୍ତି ? Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.