ରାତି ପାହିଲେ ରଥଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ

ପୁରୀ, ୧୧/୦୭: ସୋମବାର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ । ରବିବାର ତିନିରଥରେ ଆଜ୍ଞାମାଳ ବିଜେ କରିବେ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ଯିବେ ତାଳଧ୍ବଜ, ନନ୍ଦିଘୋଷ ଏବଂ ଦେବଦଳନ। ସୋମବାର ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ରଥରେ ବସି ଘୋଷଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି।

ଶନିବାର ତିନି ରଥରେ କନା ପକାଯିବା ସହ ପିତ୍ତଳସାଜ ଲଗାଯାଇଛି। କାଲି ସକାଳ ୮ଟା ୩୦ରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ଦିନ ୧୧ଟା ୩୦ ସୁଦ୍ଧା ଶେଷହେବ। ଏହା ପରେ ରଥରେ ବିଜେ କରିବେ ମଦନମୋହନ। ଶ୍ରୀଜୀଉଙ୍କୁ ଚିତାଲାଗି ଏବଂ ବେଶ କରାଯିବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୧୨ଟା ୪୫ରୁ ୨ଟା ମଧ୍ୟରେ ରଥ ଉପରେ ଛେରାପହଁରା କରିବେ। ଅପରାହ୍ଣ ୩ଟାରୁ ରଥଟଣା ଆରମ୍ଭ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର।

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ ଛାଉଣିରେ ପରିଣତ ହୋଇଛି ସମଗ୍ର ପୁରୀ ସହର। ୬୫ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସବୁ ସାହିଗଳି ପ୍ରବେଶ ପଥରେ କାଠ ବ୍ୟାରିକେଡ୍ କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ବଡ଼ଦାଣ୍ଡକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ଆଜିଠାରୁ ରଥଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବାକୁ ଯାଉଛି। ଆଜି ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବଡ଼ଦାଣ୍ଡର ସମସ୍ତ ଦୋକାନବଜାର ବନ୍ଦ ରହିବ। ଏପରିକି ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ ପ୍ରଶାସନ ରୋକ୍ ଲଗାଇଛି।  



from Prameya News7 https://ift.tt/2T2zBHn
ରାତି ପାହିଲେ ରଥଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ ରାତି ପାହିଲେ ରଥଯାତ୍ରା, ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ Reviewed by SUBHENDU BARAL on July 10, 2021 Rating: 5

No comments:

Powered by Blogger.